ମାଟ୍ରିକ ଖାତା ମୂଲ୍ୟାୟନ ଆଜିଠୁ ଆରମ୍ଭ ହୋଇଛି

ମାଟ୍ରିକ ଖାତା ମୂଲ୍ୟାୟନ ଆଜିଠୁ ଆରମ୍ଭ ହୋଇଛି । ରାଜ୍ୟର ୬୦ଟି କେନ୍ଦ୍ରରେ ଏହି ମୂଲ୍ୟାୟନ କରାଯାଉଛି । ଏଥିରୁ ୫୦ଟି କେନ୍ଦ୍ରରେ ରେଗୁଲାର ପରୀକ୍ଷା ଖାତା ଦେଖାଯାଉଥିବା ବେଳେ ୧୦ଟି କେନ୍ଦ୍ରରେ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମୂଲ୍ୟାୟନ କରାଯାଉଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ପ୍ରଫେସର ଜାହାନ ଆରା ବେଗମ ସୂଚନା ଦେଇଛନ୍ତି ।

ସଭାପତିଙ୍କ ସୂଚନାନୁଯାୟୀ, ସୋମବାର ଠାରୁ ପରୀକ୍ଷା ଖାତା ମୂଲ୍ୟାୟନରେ ନିୟୋଜିତ ହେବାକୁ ଥିବା ଶିକ୍ଷକ ମାନେ ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ରବିବାର ଠାରୁ ଯୋଗ ଦେଇଛନ୍ତି । ସେଠାରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ଦାୟିତ୍ୱରେ ଏହି ମୂଲ୍ୟାୟନ ପରିଚାଳିତ ହେଉଛି ।
ଚଳିତ ଵର୍ଷ ମୂଲ୍ୟାୟନ ପାଇଁ ମୋଟ ୧୬ ହଜାର ୩୦ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୭୬୧ ଜଣ ମୁଖ୍ୟ ମୂଲ୍ୟାୟକ ,୧୪୮୨ ଜଣ ଉପ ମୁଖ୍ୟ ମୂଲ୍ୟାୟକ, ୧୨ ହଜାର ୨୬୫ ଜଣ ସହକାରୀ ପରୀକ୍ଷକ ଓ ୧୫୨୨ ଜଣ ଯାଞ୍ଚକାରୀ ପରୀକ୍ଷକ ଭାବେ ନିୟୋଜିତ ହେବେ । ସେହିପରି ମଧ୍ୟମା ପରୀକ୍ଷା ଲାଗି ୧୭୬ଜଣଙ୍କୁ ନିଯୁକ୍ତ କରାଯାଇଛି ।

ସକାଳ ୧୦ଟାରୁ ୫ଟା ମଧ୍ୟରେ ପ୍ରତ୍ୟେକ ଦିନ ମୂଲ୍ୟାୟନ କରାଯିବ । ମୂଲ୍ୟାୟନ ପ୍ରକ୍ରିୟା ୧୦ରୁ ୧୨ ଦିନ ମଧ୍ୟରେ ସାରିବା ପାଇଁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ଓ ଆବଶ୍ୟକ ସ୍ଥଳେ ଦିନେ ଦୁଇ ଦିନ ବୃଦ୍ଧି କରାଯିବ ବୋଲି କୁହାଯାଇଛି । କୌଣସି କାରଣ ଵଶତଃ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେଇ ନ ପାରିଲେ ତାଙ୍କ ବଦଳରେ ଅନ୍ୟ ଶିକ୍ଷକଙ୍କୁ ତତକ୍ଷଣାତ ନିଯୁକ୍ତ କରିବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପରୀକ୍ଷା ଖାତା ମୂଲ୍ୟାୟନକୁ ସଂପୂର୍ଣ୍ଣ ତୃଟିଶୂନ୍ୟ କରିବା ସହ ପ୍ରଥମ ସପ୍ତାହ ସୁଦ୍ଧା ଫଳ ପ୍ରକାଶନ ପାଇଁ ସମସ୍ତ ଉଦ୍ୟମ କରାଯାଇଥିବା ସଭାପତି ବେଗମ କହିଛନ୍ତି ।
ସୂଚନାଯୋଗ୍ୟ, ଫେବୃଆରୀ ୨୨ ତାରିଖରୁ ଚଳିତ ଥର ୫ ଲକ୍ଷ ୭୨ ହଜାର ପରୀକ୍ଷାର୍ଥୀ ପ୍ରାୟ ୨୮୩୦ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଚଳିତ ମାର୍ଚ୍ଚ ୮ତାରିଖରେ ଏହି ପରୀକ୍ଷା ଶେଷ ହୋଇଥିଲା ।

Report: OmmtvOdisha

Post a Comment

0 Comments