ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନୀ ହାୱା ମଧ୍ୟ ସେତିକି ଜୋରରେ ବହିବାରେ ଲାଗିଛି । ଓଡିଶା ର କିଛି ହଟସିଟ ଉପରେ ସାରା ଦେଶର ନଜର ଥିବା ବେଳେ ଏଥିରୁ ଅନ୍ୟତମ ହେଉଛି ପୁରୀ । ପୁରୀ ଲୋକସଭା ଆସନ ପାଇଁ ଅନ୍ୟ ଦଳ ଗୁଡିକ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ବିଜେପି ଏଠାରୁ ସର୍ବାଗ୍ରେ ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି । ନିଜର ରାଜନୈତିକ ଭବିଷ୍ୟତ ସନ୍ଧାନରେ ଜାତୀୟ ରାଜନୀତି ଛାଡି ଓଡିଶା ରେ ପାଦ ଥାପିଛନ୍ତି ଡାକ୍ତର ସମ୍ବିତ ପାତ୍ର। ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ପାଇଁ ଦଳୀୟ ପ୍ରାର୍ଥୀ ହେବାପରେ ଗତ ରବିବାର ସନ୍ଧ୍ୟା ରେ ସେ ଆସି ଭୁବନେଶ୍ୱର ରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ପାଦ ଦେବାକ୍ଷଣି ଦଳୀୟ କାର୍ଯ୍ୟାଳୟକୁ ଯିବା ସହ ନିଜର ରାଜନୈତିକ ଗୋଟିଚାଳନା ଆରମ୍ଭ କରିଛନ୍ତି ସମ୍ବିତ । ଆସିବା କ୍ଷଣି ସମ୍ବିତ ପ୍ରଥମେ ଗଜପତି ଦିବ୍ୟସିଂହ ଦେବଙ୍କୁ ଦେଖା କରିଛନ୍ତି। ରବିବାର ସନ୍ଧ୍ୟାରେ ଦଳୀୟ କାର୍ଯ୍ୟାଳୟ ରୁ ବାହାରି ଗଜପତିଙ୍କ ଭୁବନେଶ୍ୱର ସହିଦନଗର ବାସଭବନକୁ ଯାଇଥିଲେ ସମ୍ବିତ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିର୍ବାଚନ ବୈତରଣୀ ପାରହେବା ପାଇଁ ସେ ଗଜପତିଙ୍କୁ ବ୍ୟବହାର କରୁଥିବା ଆଲୋଚନା ହେଉଛି । ଗତକାଲି ରୋଡ ସୋ କରି ପ୍ରଚାର ଆରମ୍ଭ କରିଛନ୍ତି ସମ୍ବିତ। ଜଗନ୍ନାଥଙ୍କ ମୂର୍ତ୍ତିକୁ ହାତରେ ଧରି ସେ ପ୍ରଚାର କରୁଥିବା ବେଳେ ସମାଲୋଚନା ର ପାତ୍ର ମଧ୍ୟ ହୋଇଛନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀବାସୀ ସ୍ଥାନୀୟ ଲୋକଙ୍କ ଉପରେ ଅଧିକ ପ୍ରାଧାନ୍ୟ ଦେଉଥିବା ନଜିର ରହିଛି । ସ୍ଥାନୀୟ ଲୋକଙ୍କୁ ଜିତାଇବାକୁ ଉଚିତ ମନେ କରନ୍ତି ପୁରୀ ପୁରୀ ଭୋଟର। ଗତ ୧୬ଟି ସାଧାରଣ ନିର୍ବାଚନକୁ ଯଦି ଅନୁଶୀଳନ କରାଯାଏ ତେବେ ଥରେ ମାତ୍ର ଭଦ୍ରକ ଜିଲ୍ଲାର ମୂଳବାସିନ୍ଦା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ୧୯୮୯ ରେ ପୁରୀରୁ ଜିତିଥିଲେ , ତେବେ ସେତେବେଳେ ଦେଶରେ ବୋହୁଥିଲା ବି.ପି.ସିଂହଙ୍କ ହାଓ୍ୱା । ସେହି ସ୍ରୋତରେ ଜନତା ଦଳ ପ୍ରାର୍ଥୀ ନୀଳମଣି ରାଉତରାୟଙ୍କୁ ବିଜୟର ସ୍ୱାଦ ଚଖାଇଥିଲେ ।ସେହିଠାରେ ହିଁ ବନ୍ଦ ହୋଇଥିଲା ଏହି ପରମ୍ପରା । ପୂର୍ବରୁ ଓଡ଼ିଶାର ଖ୍ୟାତାନାମା ବାରିଷ୍ଟର ରଣଜିତ ମହାନ୍ତି ୧୯୮୪ ରେ ପୁରୀ ଭୋଟରଙ୍କ ଆସ୍ଥା ଜିତି ପାରିନଥିଲେ । ରଣଜିତ ମହାନ୍ତିଙ୍କୁ ବିଜୁ ପଟ୍ଟନାୟକଙ୍କ ସମର୍ଥନ ମିଳିବା ପରେ ମଧ୍ୟ ପୁରୀ ଭୋଟର ତାଙ୍କୁ ଗ୍ରହଣ କରି ନଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ପ୍ରାର୍ଥୀ ବିଜୟର ସ୍ଵାଦ ଚାଖିଛନ୍ତି । ଏଣୁ ଏଭଳି ଏକ ସ୍ଥିତିରେ ଗଜପତିଙ୍କ ସାହରାରେ ସମ୍ବିତ କିଭଳି ମୈଦାନ ରେ ତିଷ୍ଠି ରହିବେ ତାହା ଏକ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି ।